ଓଡିଶା ମେଡିକାଲ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଖାଲି ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ

0
40
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ବର ଠାରେ ଆୟୋଜିତ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି।

By Our Correspondent

BALASORE/BHUBANESWAR:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ବର ଠାରେ ଆୟୋଜିତ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଡାକ୍ତର ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜଣେ ରୋଗୀ ରୋଗକୁ ଡରିଥାଏ। ରୋଗକୁ ଭୟ କରି ସେ ନିଜକୁ ଅଧିକ ଅସୁସ୍ଥ ମନେ କରିଥାଏ । ଏହି ସମୟରେ ଡାକ୍ତର ରୋଗୀକୁ ଆରୋଗ୍ୟର ଯେଉଁ ସ୍ପର୍ଶ ଦିଅନ୍ତି ତାହା ହିଁ ରୋଗୀକୁ ସାହାସ ଓ ବିଶ୍ବାସ  ଦେବାରେ ସାହାଯ୍ୟ କରିଥାଏ । ତ୍ୟାଗ ଓ ନିଷ୍ଠା ହେଉଛି ଡାକ୍ତରଙ୍କ ମହନୀୟତା। ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ସାଧାରଣ ଲୋକଙ୍କର ଓ ରୋଗୀମାନଙ୍କର ଆପଣ ମାନଙ୍କ ଉପରେ ଯେଉଁ ଭରସା ଓ ବିଶ୍ବାସ ଅଛି ତାକୁ କେବେ ତୁଟାଇବାକୁ ଦିଅନ୍ତୁ ନାହିଁ ।

ସେ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତରେ ଆଜି ଦେଶର ଡିଜିଟାଲ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିଛି। କୋ-ୱିନ ଆପ୍, ଇ-ସଂଜୀବନୀ, ଆରୋଗ୍ୟ ସେତୁ, ଇ- ହସ୍ପିଟାଲ ଆଦି ବ୍ୟବସ୍ଥା ଦେଶର ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରି ପାରିଛି। ମୋଦୀଜୀଙ୍କ ବସୁଧୈବ କୁଟୁମ୍ବକମ ନୀତି ଭାରତକୁ ବିଶ୍ବ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର, ଆମକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାମ କରିବାର ଅଛି। ଗତ ୨୪ ବର୍ଷର ସରକାର ସ୍ବାସ୍ଥ୍ୟ ସେବା ଭଳି ଲୋକଙ୍କ ମୌଳିକ ଆବଶ୍ୟକତାକୁ ଅବହେଳା କରିଆସିଥିଲେ। ସ୍ବାସ୍ଥ୍ୟ ସେବାର ଅର୍ଥ କେବଳ ଡାକ୍ତର ଓ ରୋଗୀ ନୁହନ୍ତି। ପାରା ମେଡିକାଲ ଷ୍ଟାଫ, ଭିତ୍ତିଭୂମି, ଭଲ ଡାକ୍ତରଖାନା, ଆଧୁନିକ ଟେଷ୍ଟିଙ୍ଗ ମେସିନ୍, ପରୀକ୍ଷା ଗାର, ଆମ୍ବୁଲାନ୍ସ, ଔଷଧ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ସୁଯୋଗ ମଧ୍ୟ ସ୍ବାସ୍ଥ୍ୟ ସେବାର ଅଂଶ ବିଶେଷ। ୨୦୨୪-୨୫ ବଜେଟ୍ ରେ ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୩୨ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି।

ରାଜ୍ୟରେ ମୋଟ୍ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫,୭୭୪ ଏଥି ମଧ୍ୟରୁ ୫୭୬୫ ପଦବୀ ଖାଲି ରହିଛି। ତନ୍ମଧ୍ୟରୁ ୪୪୩ ପଦବୀ ଆଡହକ୍, କଣ୍ଟ୍ରାଚୁଆଲ୍ ଓ ବିଭିନ୍ନ ପାଣ୍ଠି ବିନିଯୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି।  ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ଲୋକଙ୍କ ଆବଶ୍ୟକତା ପୂରଣ କରିବା ହିଁ ଆମର ପ୍ରାଥମିକତା। ଖାଲି ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ । ଆମେ ଚାହୁଁ ସ୍ବାସ୍ଥ୍ୟ ସେବା ରାଜ୍ୟର ସବୁ ଅଞ୍ଚଳରେ ସମାନୁପାତିକ ତଥା ଗୁଣାତ୍ମକ ଭାବେ ପହଞ୍ଚୁ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ରୋଗୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାକୁ ଆମେ ରାଜ୍ୟରେ ଲାଗୁ କରିବାକୁ ଯାଉଛୁ । ଏଥି ସହିତ ଡାକ୍ତର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି, ବାସଗୃହ ସହିତ ଭୟମୁକ୍ତ ବାତାବରଣ ଯୋଗାଇ ଦେବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ଆପଣ ମାନଙ୍କ ଦାବୀ ଗୁଡିକ ବିଚାରକୁ ନିଆଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ  ଆପଣ ମାନଙ୍କ ସହିତ ମିଶି ଆମେ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବାକୁ ଚାହୁଁଛୁ ବୋଲି କହିଥିଲେ।

 

 

LEAVE A REPLY

Please enter your comment!
Please enter your name here