‘ଓଡ଼ିଶା ପର୍ବ -୨୦୨୪’ ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀରେ ଓଡ଼ିଆ ସମାଜର ‘ଓଡ଼ିଶା ପର୍ବ -୨୦୨୪’ ସମାରୋହରେ ଯୋଗଦେଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, ମୋଦୀ ସରକାରଙ୍କ ବିଗତ ୧୦ ବର୍ଷରେ ଓଡ଼ିଶା ସବୁଠୁ ବଡ ଲାଭାର୍ଥୀ

0
66

By Our Correspondent

BHUBANESWAR:  ଦେଶର ବିଶସ୍ୱନୀୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଓଡିଆ ଲୋକଙ୍କ ଭଲ ପାଇବା ପାଇଁ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନୂଆ ଉଚ୍ଚତାକୁ ଯିବ ବୋଲି ରବିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ  ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ -୨୦୨୪’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ସମାଜର ଓଡ଼ିଶା ପର୍ବ -୨୦୨୪ ସମାରୋହରେ ଯୋଗଦେଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦେଶର କାର୍ଯ୍ୟକାଳ ସମ୍ଭାଳିବା ପରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ଆୟୁଧ କରି କାମ କରି ଚାଲିଛନ୍ତି । ବିଗତ ୧୦ ବର୍ଷରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ମୋଦୀ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶର ଲାଭାର୍ଥୀ ହୋଇଛି ।

ଓଡ଼ିଶାର ମହାପୁରୁଷ ଯଥା ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଧୁନିକ ଓଡ଼ିଶାର ନିର୍ମାତା ଡଃ ହରେକୃଷ୍ଣ ମହତାବଙ୍କ ଆଦର୍ଶରେ ପ୍ରଧାନମନ୍ତ୍ରୀ ମୋଦୀ ଅନୁପ୍ରାଣିତ । ଏହି ମହାପୁରୁଷଙ୍କ ଆଦର୍ଶରେ ପ୍ରଧାନମନ୍ତ୍ରୀ ସମାଜର ଗରିବ କଲ୍ୟାଣରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆତ୍ୱକୁ ଭଲ ପାଇବାର ପ୍ରଣାଳୀ ଭାରତ ସରକାରଙ୍କ ଶାସନର ପ୍ରଣାଳୀ ହୋଇଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ଅନନ୍ୟ ସମ୍ପର୍କ ଅଛି । ଅହମ୍ମଦବାଦରେ ଜଗନ୍ନାଥ ମନ୍ଦିରରେ ଜଣେ ସେବକ ଭାବେ ସେ ସମୟ ବିତାଇଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସେବା କରିଛନ୍ତି । ଏଥିରୁ ଅନୁମେୟ ଯେ ଓଡ଼ିଶା ଓ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ପ୍ରତି ମୋଦୀଙ୍କ ଉତ୍ତମ ସମ୍ପର୍କ ଅଛି ।

ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ଲୋକମାନେ ପ୍ଲମ୍ବିଂ ସହ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି । ଓଡ଼ିଆ ଲୋକମାନେ ମାନ୍ୟବର ସୁପ୍ରିମକୋର୍ଟ ସମେତ ଦିଲ୍ଲୀ ଓ ଜେଏନୟୁ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦିଲ୍ଲୀରେ ଷ୍ଟାର୍ଟଅପର ଆୟୋଜନ ହୋଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ କରିଛନ୍ତି । ଆଉ ୧୩ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ୨୦୩୬ ସୁଦ୍ଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ତେଣୁ  ଆଗାମୀ ୨୩ ବର୍ଷ ଦେଶର ନାଗରିକଙ୍କ ପାଇଁ କର୍ତ୍ତବ୍ୟ ଓ ଦାୟିତ୍ୱର ସମୟ ହେବ ।  ଓଡ଼ିଆ ସମାଜ ଏକ ସ୍ୱାଭିମାନ ସମାଜ । ଓଡ଼ିଆ ସମାଜର ଓଡ଼ିଶା ପର୍ବ -୨୦୨୪ ସମାରୋହରେ ଯୋଗଦେଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here