ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀଙ୍କୁ ‘ଥ୍ରୀ-ଏସ୍’ର ମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

0
248
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ‘ଥ୍ରୀ-ଏସ୍’ର ମନ୍ତ୍ର ଦେଇଛନ୍ତି

By Our Correspondent

KORAPUT/BHUBANESWAR:   କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ‘ଥ୍ରୀ-ଏସ୍’ର ମନ୍ତ୍ର ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜିର ସମୟରେ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ମୂଳ ମନ୍ତ୍ର ହେଉଛି  ସ୍କିଲ, ସ୍କେଲ୍ ଏବଂ ସ୍ପିଡ୍ । ପ୍ରଥମେ ସ୍କିଲଡ୍ ବା ଦକ୍ଷ ହେବା, ପରେ ତାହାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ସ୍କେଲ୍-ଅପ୍ କରିବା ବା ଆଗକୁ ବଢିବା ଏବଂ ଶେଷରେ ତାକୁ ସ୍ପିଡ୍-ଅପ୍ କରିବା ତଥା ତ୍ୱରାନ୍ୱିତ କରାଇବା ।  ଏହି ଥ୍ରୀ-ଏସ୍ ଦ୍ୱାରା ହିଁ କୋରାପୁଟ ବିକଶିତ ହେବ । କୋରାପୁଟ ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ଏବଂ ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଏ ଦିଗରେ ଛାତ୍ରଛାତ୍ରୀମାନେ ବ୍ରତୀ ହେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।   

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘୧୫ତମ ପ୍ରତିଷ୍ଠା ଦିବସ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରାୟାନ-୩ ଅଭିଯାନର ସଫଳତାକୁ ନେଇ ସାରା ଦେଶ ଉତ୍ସବ ମନାଉଛି, ସେଭଳି ଏକ ସମୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିଜର ପ୍ରତିଷ୍ଠା ଦିବସ ପାଳନ କରିବା ଖୁସିର ବିଷୟ । ଚନ୍ଦ୍ରାୟାନ- ୩ର ସଫଳତା ଦେଶବାସୀଙ୍କ ସାମୂହିକ ପ୍ରାର୍ଥନା ଏବଂ ଆମ ରାଜ୍ୟ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ବୈଜ୍ଞାନିକଙ୍କ ପରିଶ୍ରମ କାରଣରୁ ସମ୍ଭବ ହୋଇପାରିଛି ।

ଅପାର ସମ୍ଭାବନାର ଅଞ୍ଚଳ ହେଉଛି ଅବିଭକ୍ତ କୋରାପୁଟ ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ମୁଁ ଯେତେବେଳେ ବି କୋରାପୁଟ ଯାଏ, ଲୋକମାନଙ୍କ ଭଲ ପାଇବା ଏବଂ ଆତିଥେୟତା ମୋତେ ପ୍ରଭାବିତ କରେ । କୋରାପୁଟର ସମୃଦ୍ଧ ଲୋକକଳା, ସଂସ୍କୃତି ଓ ପରମ୍ପରା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ଏଠାରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଧାନ, ମାଣ୍ଡିଆ, ଫଳ, ପନିପରିବା, କୋରାପୁଟ କଫି, ହଳଦୀ ଚାଷ ଆଦି ସ୍ୱତନ୍ତ୍ର । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏହି ସବୁ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଗବେଷଣା କରିବା ସାଧୁ ଉଦ୍ୟମ ।

କୋରାପୁଟ ଜିଲ୍ଲାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଏହି ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅନେକ ସଂକଳ୍ପ ନେଇ ଆଗକୁ ବଢୁଛି ।  ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କ ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି । ଅବିଭକ୍ତ କୋରାପୁଟର ମୁଖ୍ୟ ଲୋକଶକ୍ତି, ଜନଜାତି ସମାଜର ସଶକ୍ତିକରଣ, ଶିକ୍ଷା, ଦକ୍ଷତା ବିକାଶ, ଭାଷା ଓ ସଂସ୍କୃତିର ସଂରକ୍ଷଣ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନରେ ‘ଆଦିବାସୀ ଗବେଷଣା କେନ୍ଦ୍ର’ ଆରମ୍ଭ ହେବା ଖୁସିର ବିଷୟ । ଏହି ଶିକ୍ଷାନୁଷ୍ଠାନର ପରିବେଶ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ କ୍ଷମତା ବିକାଶ କରିବା ସହିତ ସେମାନଙ୍କୁ ପ୍ରତିଭାଶାଳୀ କରି ଦେଶ-ମାତୃକା ପାଇଁ ସମର୍ପିତ ହେବାକୁ ନିଶ୍ଚିତ ଭାବରେ ପ୍ରେରଣା ଦେବ, ଏଥିରେ ସନ୍ଦେହ ନାହିଁ ।  ଓଡିଶା ତଥା କୋରାପୁଟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ତଥା ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି । କୋରାପୁଟ ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।   

ମୋଦିଜୀ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ଓ ଅନୁସନ୍ଧାନ କରିବାର କ୍ଷମତା ବୃଦ୍ଧି ପାଇଥାଏ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ଲୋକ ମାନଙ୍କର ନିଜ ନିଜର କଥିତ ଭାଷା ଓ ମୌଖିକ ପରମ୍ପରା ରହିଛି । ତେଣୁ ପ୍ରାରମ୍ଭିକ ସ୍ତରରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଲାଭ କରି ଆଗକୁ ବଢିବା, ନିଜ ଭିତରେ ଆତ୍ମବିଶ୍ୱାସ ରଖିବା ଏବଂ ଦକ୍ଷତା ବୃଦ୍ଧି କରି ନିଜ ପାଇଁ ପରିଚୟ ସୃଷ୍ଟି କରିବା । ଏହା ହିଁ ଜାତୀୟ ଶିକ୍ଷା ନୀତିର କଳ୍ପନା ।  ନିକଟରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜନଜାତି ସମାଜର ବହୁ ପୁରାତନ ଭାଷା ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ବର୍ଣ୍ଣମାଳା ଆଧାରିତ ପୁସ୍ତକର ଉନ୍ମୋଚନ କରିଛନ୍ତି ।

ଏହି ପଦକ୍ଷେପ ଦ୍ୱାରା ଜନଜାତି ଭାଷା ଏବଂ ଓଡ଼ିଆ ଭାଷା ମଧ୍ୟରେ ସେତୁଟିଏ ତିଆରି କରିବାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏଥିରେ ଏନସିଇଆରଟି ଓ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ, ଭୁବନେଶ୍ୱର ସହ ବିଶେଷ ସହଯୋଗୀ ହୋଇଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରକୁ ଧନ୍ୟବାଦ । ସମସ୍ତଙ୍କ  ସହଯୋଗ ଓ  ପ୍ରଚେଷ୍ଟା ପାଇଁ ୧୦୦ ଦିନରୁ କମ ଦିନ ମଧ୍ୟରେ ଏହି ପୁସ୍ତକ ପ୍ରସ୍ତୁତ ହୋଇପାରିଲା । ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ କହିଥିଲେ ‘ସ୍ୱପ୍ନ ଏପରି ଦେଖ, ଯେଉଁ ସ୍ୱପ୍ନ ନିଦ ହଜାଇ ଦେବ’ । ଛାତ୍ରଛାତ୍ରୀମାନେ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ।

ଦେଶର ‘ଅମୃତକାଳ’ରେ ଆମର ପ୍ରଧାନମନ୍ତ୍ରୀ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ କରିଛନ୍ତି । ଗାଁ ଓ ସହରରେ ସାହସୀ ବୀରମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ସ୍ମାରକୀ ଫଳକ ପ୍ରତିଷ୍ଠା ; ଅମୃତ କଳସ ଯାତ୍ରା ସମେତ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ଏହି ଅଭିଯାନ ଆମକୁ ମାଆ, ମାଟି ଏବଂ ଶହୀଦଙ୍କୁ ସମ୍ମାନ ଜଣାଇବାର ବଡ଼ ଅବସର ଦେଇଛି । ଭାରତଛାଡ଼ ଆନ୍ଦୋଳନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୀର ଆଦିବାସୀମାନେ ଯେଉଁ ଅଭୂତପୂର୍ବ ସାହସ ଦେଖାଇଥିଲେ, ତାହା ଚିର ସ୍ମରଣୀୟ । ଏହି ଉପଲକ୍ଷେ କୋରାପୁଟରେ ଭାରତଛାଡ ଆନ୍ଦୋଳନର ନେତୃତ୍ୱ ନେଇଥିବା ଶହୀଦ ଲକ୍ଷ୍ମଣ ନାଏକ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ପାପଡାହାଣ୍ଡି ଗୁଳିକାଣ୍ଡରେ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ୧୯ ଜଣ ଶହୀଦଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ମୋ ମାଟି, ମୋ ଦେଶ ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here