ଓଡ଼ିଶାର ୧୬, ୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ ଓ ପ୍ରଶିକ୍ଷଣ, ବିକଶିତ ଓଡ଼ିଶାର ମୁଖ୍ୟ ସୂତ୍ରଧର ହେବେ ଶିକ୍ଷକ – ଧର୍ମେନ୍ଦ୍ର ପ୍ରଧାନ

0
43

By Our Correspondent

BHUBANESWAR:   ଶିକ୍ଷା ହେଉଛି ସମାଜର ଏକ ଅଭିନ୍ନ ଅଙ୍ଗ ଏବଂ ଶିକ୍ଷକମାନେ ହେଉଛନ୍ତି ତା’ର ଆଧାରଶୀଳା । ଏହି ପୃଷ୍ଠଭୂମିରେ ଆଗାମୀ ଦିନରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ମୁଖ୍ୟ ସୂତ୍ରଧର ହେବେ ବୋଲି ଶନିବାର ଭୁବନେଶ୍ୱର ଠାରେ ଆୟୋଜିତ ୧୬, ୦୦୯  ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ନିବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଶିକ୍ଷକମାନେ ହେଉଛନ୍ତି କୃପାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ ଓ ଭୀଷ୍ମ ପିତାମହ ସଦୃଶ । ବିଶେଷଭାବରେ ଏକବିଂଶ ଶତାବ୍ଦୀରେ ଶିକ୍ଷାର ମୂଳ ବିନ୍ଦୁ ଆଜିର ସମାଜର ଶିକ୍ଷକ ପାଖରେ ରହିବ । କାରଣ ଆଜି ପାଠ ପଢୁଥିବା ୧୨ ବର୍ଷର ପିଲା ଆଗାମୀ ୧୨ରୁ ୧୩ ବର୍ଷ ମଧ୍ୟରେ ଦେଶ ଗଠନରେ ନିଜର ଯୋଗଦାନ ରଖିବ । ତେଣୁ ଏବେ ଠାରୁ ସେମାନଙ୍କୁ ସେହିଭଳି ଭାବେ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ପାଇଁ ପଡିବ ।

ସମାଜକୁ ସଶକ୍ତ ଓ କଲ୍ୟାଣ କରିବା ଦିଗରେ ଶିକ୍ଷକଙ୍କ ଗୁରୁ ଦାୟିତ୍ୱ ରହିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳମଣି ମଧୁସୂଦନ ଦାସଙ୍କ ପରି ଅନେକ ମହାପୁରୁଷ ମଧ୍ୟ ଶିକ୍ଷକଙ୍କ ମାର୍ଗଦର୍ଶନରେ ଆମ ଜାତିକୁ ଗୌରବାନ୍ୱିତ କରିଛନ୍ତି । କରୋନା ସମୟରେ ଭ୍ୟାକସିନ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ମଧ୍ୟ ଗୁରୁଙ୍କ ଆଦର୍ଶରେ ଦେଶବାସୀଙ୍କୁ ରକ୍ଷା କରିଛନ୍ତି । ତେଣୁ ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଆଜିର ବୃହତ ନିଯୁକ୍ତି ସମାରୋହ ଏକ ବଡ଼ ପଦକ୍ଷେପ ।

ଭାରତୀୟ ଗୁରୁ ଶିଷ୍ୟ ପରମ୍ପରାକୁ ଆଗକୁ ନେବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ୬୨ ହଜାର ସରାକାରୀ ଓ ବେସରକାରୀ ସ୍କୁଲରେ ୩ ଲକ୍ଷ ୩୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଆଜି ସେହି ପୃଷ୍ଠଭୂମିରେ ୧୬ ହଜାର ୯ ଜଣ ନୂଆ ବିନ୍ଧାଣୀ ଯୋଡି ହୋଇଛନ୍ତି । ପ୍ରାଥମିକରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ରାଜ୍ୟର ୭୬ ଲକ୍ଷ ୪୯ ହଜାର ପିଲାମାନଙ୍କୁ  ସ୍ୱାବଲମ୍ବୀ କରିବା ପାଇଁ ଦାୟିତ୍ୱ ନେବା । ବାଜି ରାଉତର ଜନ୍ମ ଜୟନ୍ତୀରେ ନୂଆ ବାଜି ରାଉତ ତିଆରି କରିବା ପାଇଁ ଶିକ୍ଷକମାନଙ୍କୁ ସଂକଳ୍ପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଓଡ଼ିଶାରେ ଧନୀ ଲୋକଙ୍କ ଅଭାବ ଥାଇ ପାରେ କିନ୍ତୁ ଜ୍ଞାନୀ ଲୋକଙ୍କର ଅଭାବ ନାହିଁ । ୧୬୦୦ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ନବସୃଜନ କରିବାରେ ଓଡ଼ିଶା ବିଶ୍ୱକୁ ଦିଗଦର୍ଶନ ଦେଇଛି । ଓଡ଼ିଆ ଜାତି ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ର୍ୟା ଜ୍ୟ ପ୍ରତିଷ୍ଠା କରିବାର ଇତିହାସ ଅଛି । ସନ୍ଥ କବି ଭୀମ ଭୋଇ ନିଜର ବାଣୀ ଦ୍ୱାରା ବିଶ୍ୱରେ ନୂଆ ଜାଗରଣ ତିଆରି କରାଇପାରିଛନ୍ତି । ଆଗାମୀ ୨୫ ବର୍ଷ ଧରି ଓଡ଼ିଶାର ଶିକ୍ଷା ଓ ଜ୍ଞାନ ବୃଦ୍ଧି ପାଇଁ ଆମକୁ ଏହି କ୍ଷେତ୍ରରେ ନିବେଶ କରିବା ପାଇଁ ହେବ । କାହିଁକି ନା ଶିକ୍ଷକ ସମ୍ମାନର ସହ ଜୀପନ ଯାପନ ନ କଲେ ସେ ନୂଆପିଢିକୁ ତିଆରି କରିପାରିବ ନାହିଁ । ଓଡ଼ିଆ ପିଲାମାନଙ୍କୁ ସ୍ୱାଭିମାନୀ ବନାଇବା ପାଇଁ ଦାୟିତ୍ୱ ନେବା । ତେବେ ଯାଇ ଓଡ଼ିଆ ଦିଗବିଜୟୀ ହେବ । ଏହାବ୍ୟତୀତ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେଉଥିବା ବେଳେ ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦେବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

 

LEAVE A REPLY

Please enter your comment!
Please enter your name here