ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ

0
102

By Our Correspondent

NEW DELHI/BHUBANESWAR:  ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କ୍ରିୟାନ୍ୱୟନ ପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର, ସ୍ଥାନୀୟ ସଂସ୍ଥା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଗୁଣବତ୍ତା ବୃଦ୍ଧି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ । ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ । ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ ।

ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ଏବଂ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ମୋଦୀ ସରକାରଙ୍କ ଯୋଜନା ପିଏମ୍ ଶ୍ରୀ ସ୍କୁଲ  ଅଧୀନରେ ସେମାନଙ୍କ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଶିକ୍ଷା ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।  ଏହି ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ । ଓଡ଼ିଶାରେ ପ୍ରାୟ ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି ।

ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ ।  ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ । ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ । ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି ।

ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ । ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ । ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ । ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ ।

ମୋଦୀ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ ପିଏମ ଶ୍ରୀ ସ୍କୁଲ । ଏହି ପଦକ୍ଷେପ ଓଡ଼ିଶା ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ ।  ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ । ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ । ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ । ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ।

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here