ଓଡ଼ିଶାକୁ ଭୂଲୁଣ୍ଠିତ କରୁଥିବା ଚକ୍ରାନ୍ତକାରୀଙ୍କୁ ଲୋକମାନେ ଭୋଟରେ ଉଚିତ୍ ଜବାବ୍ ଦେବେ, ତାମିଲ ଠିକାଦାରଙ୍କ ପକେଟ୍ ଗରମ ହେଉଛି କିନ୍ତୁ ଲୋକଙ୍କୁ ପାଣି ମିଳୁନାହିଁ – ଧର୍ମେନ୍ଦ୍ର ପ୍ରଧାନ

0
77

By Our Correspondent

JAGATSINGHPUR/BHUBANESWAR:     ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରିବା କଥା ବିଜେଡି ପକ୍ଷରୁ କୁହାଯାଉଥିବା ବେଳେ ମଞ୍ଚରେ ଗୁମାସ୍ତା ନିଜେ ମୁଖ୍ୟମନ୍ତ୍ରୀଙ୍କ ହାତ ମାଡି ଦେଉଛନ୍ତି । ଓଡ଼ିଶାକୁ ଅପମାନ କରାଯାଉଛି । ଯୁବକଙ୍କ ଚାକିରି ବିକ୍ରି ହେଉଛି । ଓଡ଼ିଶାକୁ ଭୂଲୁଣ୍ଠିତ କରୁଥିବା ଚକ୍ରାନ୍ତକାରୀଙ୍କୁ ଲୋକମାନେ ଭୋଟରେ ଉଚିତ୍ ଜବାବ୍ ଦେବେ । ଓଡ଼ିଶାକୁ ଅପମାନିତ କରିଥିବା ଲୋକମାନେ ସବୁ ଜେଲ୍ ଯିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ନିମାପଡା, କାକଟପୁର, ପାରାଦୀପ, ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଓଡ଼ିଶାକୁ ଜଣେ ସିନ୍ଧିଚୋର ତାମିଲରୁ ଆସିଛି । ସେ ଓଡ଼ିଶାର ବୈଭବକୁ ଲୁଟ୍ କରିବାକୁ ଆସିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏପରି ଜଣେ ଗୁମାସ୍ତା ଅଛି, ଯିଏ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଖରାପ କରି ଓଡ଼ିଶାର ଶାସନ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି ।

ବିଜେପି ସରକାର ହେଲେ ଗୋଟିଏ କମିଟି ବସିବ । ସେହି କମିଟି ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଖରାପ ହେଲା, ସେହି ସମ୍ପର୍କରେ ତଦନ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ବାରିପଦାରେ ଘୋଷଣା କରିଛନ୍ତି । ଗୋଟିଏ ବର୍ଷ ହେଲା ସେ କୌଣସି ଦସ୍ତଖତ କରୁନଥିବା ଶୁଣାଯାଉଛି । ନବୀନ ବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଖରାପ କରି ଜଣେ ଗୁମାସ୍ତା ଶାସନ ଅକ୍ତିଆର କରିବାକୁ ଚାହୁଁଛି ଏହା ଉପରେ ଆଲୋଚନା କଲେ ଗୁମାସ୍ତା ଚିତ୍କାର କରୁଛନ୍ତି । ଓଡ଼ିଶା କ’ଣ ଏତେ ଦୁର୍ବଳ ହୋଇଗଲା କି ? ଯେଉଁମାନେ ସମ୍ରାଟ ଅଶୋକଙ୍କ ଆଗରେ ମୁଣ୍ଡ ନୁଆଇଁ ନଥିଲେ, ଯେଉଁମାନେ ବ୍ରିଟିଶ ଶାସନ ଆଗରେ ନିଜର ସ୍ୱାଭିମାନ ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ, ସେଇ ମାଟିରେ ଓଡିଆ ନେତା ହେବା କଥା କି ନୁହେଁ ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟି ତଥା ଓଡ଼ିଆ ସଭ୍ୟତା, ଅସ୍ମିତା ଓ ସଂସ୍କୃତିର ଏନ୍ତୁଡିଶାଳ ଗୋପ । ଗୋପ ମୋ ପାଇଁ ଏକ ପବିତ୍ର ଭୂମି । ଏହି ମାଟିର ପୂର୍ବଜମାନେ ବିଶୁ ମହାରଣାଙ୍କ ବଂଶଜ ଥିଲେ । ଯେଉଁ ମାଟିର ଲୋକମାନେ କୋଣାର୍କ ଗଢି ଓଡ଼ିଶାର ନୂଆ ପରିଚୟ ତିଆରି କରିଥିଲେ, ଆଜି ସେହି ଓଡ଼ିଶାର ଅବସ୍ଥା କଣ ? ବିଶୁଦ୍ଧ ପାନୀୟ ଜଳ, ଡାକ୍ତରଖାନାରେ ଡାକ୍ତର, ସ୍କୁଲରେ ଶିକ୍ଷକ ନାହାନ୍ତି । ଯୁବକଙ୍କ ଚାକିରି ବିକ୍ରି ହେଉଛି । ରୋଜଗାର ପାଇଁ ବାହାର ରାଜ୍ୟକୁ ଓଡ଼ିଆ ପିଲାମାନେ ଦାଦନ ଖଟିବାକୁ ଯାଉଛନ୍ତି । ୨୪ ବର୍ଷ ଶାସନରେ ରହିବା ପରେ ବି ଯଦି ଏହି ଅଞ୍ଚଳରେ ଲୋକମାନେ ସବୁ ମୌଳିକ ସୁବିଧା ପାଉନାହାନ୍ତି । ଅପରପକ୍ଷରେ ଓଡ଼ିଶାକୁ ମୋଦୀଙ୍କ ସହଯୋଗରେ ଏକ ନମ୍ବର କରାଯିବ । ନିମାପଡାକୁ ପଶୁପାଳନ, କୃଷି ଓ ଗାଁ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପାଇପ୍‌ରେ ପିଇବା ପାଣି ଆସୁଛି କି? ନରେନ୍ଦ୍ର ମୋଦୀ ୧୦ ହଜାର ଟଙ୍କା ପିଇବା ପାଣି ବ୍ୟବସ୍ଥା କଲେ । ତାମିଲ ଠିକାଦାରଙ୍କ ପକେଟ୍ ଗରମ ହେଉଛି କିନ୍ତୁ ଲୋକଙ୍କୁ ପାଣି ମିଳିଲା ନାହିଁ । ସାଗରମାଳା ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶା ଉପକୂଳରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ୬ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ୱେ ହେବ ବୋଲି ଆମର ଆଶା ଥିଲା । କିନ୍ତୁ ଓଡ଼ିଶା ସରକାର ଷଡ଼ଯନ୍ତ୍ର କରି ଏହାକୁ କରାଇ ଦେଉନାହାନ୍ତି । ବିଜେପି ସରକାର ହେଲେ ଏହି ରାଜପଥ କାମକୁ ସମ୍ପୂର୍ଣ୍ଣ କରାଯିବ ।

ମୋଦୀଙ୍କ ସରକାରରେ ବନ୍ଦର ଗୁଡ଼ିକର ଉନ୍ନତି ହେଉଛି । ପାରାଦୀପରେ ବନ୍ଦର ଅଛି । ଅଏଲ ରିଫାଇନାରି ଅଛି, ପେଟ୍ରୋକେମିକାଲ୍ସ କାମ ଚାଲୁରହିଛି । ମାତ୍ର ଏଠାରେ ଜଣେ ଯୋଗ୍ୟ ପ୍ରତିନିଧିଙ୍କ ଅଭାବ ରହିଛି । ବିଜେପି ସରକାରରେ ଓଡ଼ିଶାର ଭାଗ୍ୟଦୀପ ପାରାଦୀପରୁ ଉଦୟ ହେବ । ପାରାଦୀପର ବିକାଶ ମୋଦୀଙ୍କ ନେତୃତ୍ୱରେ ହେବ । ପାରାଦୀପର ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ସମ୍ଭବ ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଗରିବଙ୍କ ଆଶା ଓ ଆଂକକ୍ଷା ପୂରଣ ହେବ । ଉପକୂଳର ବିକାଶ ହେବ । ମତ୍ସ୍ୟଜୀବୀଙ୍କ ପାଇଁ ସୁବିଧା କରାଯିବ । ସେମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯିବ । ରାହମାକୁ ବ୍ଲକ କରାଯିବା ନେଇ ଦାୟିତ୍ୱ ନିଆଯିବ । ପାରାଦୀପ ଭଳି ଅଞ୍ଚଳରୁ ଏଠାକାର ସାଧବ ପୁଅ ସାରା ବିଶ୍ୱରୁ ବୈଭବ ଆଣିଥିଲେ । ଜଣେ କ୍ରୀତଦାସ ବ୍ଲାକରୋଜରେ ଓଡ଼ିଶାର ବୈଭବକୁ ବାହାରକୁ ଚାଲାଣ କରୁଥିଲେ । ବିଜେପି ସରକାର ହେଲେ ବ୍ଲାକରୋଜ ଘଟଣା ପଛରେ ଥିବା ଲୋକମାନଙ୍କୁ ଜେଲ ପଠାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ସ୍ୱାର୍ଥ ପ୍ରଥମ ପସନ୍ଦ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଦୀର୍ଘ ୨୪ ବର୍ଷ ଶାସନରେ ଲୋକଙ୍କୁ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ସୁବିଧା ମିଳିପାରିନାହିଁ । ସରକାରଙ୍କ ପାଖରେ ନାଚ ଗୀତ ପାଇଁ ପଇସା ଅଛି, କିନ୍ତୁ ପିଲାଙ୍କୁ ପାଠ ପଢାଇବା ପାଇଁ ପଇସା ନାହିଁ । ଓଡ଼ିଆ ଅସ୍ମିତା ଆଜି ପ୍ରଶ୍ନବାଚୀରେ ଅଛି । ଏଭଳି  ସରକାରକୁ ବଦଳାଇବାର ସମୟ ଆସିଯାଇଛି । ଆସନ୍ତା ୧ ତାରିଖରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here