By Our Correspondent
BHUBANESWAR:ଏଆଇଡିଏସ୍ଓ ଓଡ଼ିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି କି ବାଲେଶ୍ଵର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ପରେ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ପୀଡ଼ିତାଙ୍କ ଅତ୍ୟନ୍ତ ବେଦନାଦାୟକ ମୃତ୍ୟୁରେ ସମସ୍ତେ ମର୍ମାହତ।
ଉଭୟ ଘଟଣା ରାଜ୍ୟ ତଥା ଦେଶ ଭିତରେ ଆଲୋଡନ ସୃଷ୍ଟି କରିଥିଲେ ବି ଏଯାଏ ଏହି ଘଟଣା ସହିତ ସଂପୃକ୍ତ ଥିବା ସମସ୍ତ ଅପରାଧୀଙ୍କ ଚେହେରା ଉନ୍ମୋଚିତ ହୋଇପାରିନି। ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଘଟଣାରେ ରାଜ୍ୟ ବିଜେପି ସରକାର ଏବଂ ତା’ର ଛାତ୍ର ସଂଗଠନର ଜଡ଼ିତ ଥିବା କଥା ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେଣୁ ତଦନ୍ତ ମଧ୍ୟ ବାଟବଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏବେ ପୁଣି ବଳଙ୍ଗା ଛାତ୍ରୀ ପୋଡ଼ିରେ ମଧ୍ୟ ସେହି ଏକା ଅବସ୍ଥା। ଅପରାଧ ଘଟାଇ ବାହାରେ ବୁଲୁଛନ୍ତି ଅପରାଧୀ ।
ଦିନକୁ ଦିନ ଶିକ୍ଷାନୁଷ୍ଠାନ ଭିତରେ,ବାହାରେ ଛାତ୍ରୀ ଓ ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା, ଦୁଷ୍କର୍ମ, ଅସଦାଚରଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି l ଅନେକ ହୃଦୟ ବିଦାରକ ଘଟଣା ପ୍ରତିଦିନ ଚାରିଆଡ଼େ ଘଟିଚାଲିଛି l ଯେଉଁଠି ଯେଉଁଠି ଏଭଳି ହୃଦୟ ବିଦାରକ ଘଟଣା ଘଟୁଛି ସରକାର ଦୋଷୀକୁ ଚିହ୍ନଟ କରି କଠୋର ଦଣ୍ଡ ଦେବା ପରିବର୍ତ୍ତେ ଚଞ୍ଚକତା କରି ତଦନ୍ତର ପ୍ରକ୍ରିୟାକୁ ଦୀର୍ଘାୟିତ କରି, ପୀଡ଼ିତାର ପରିବାରକୁ କିଛି ଆର୍ଥିକ ଅନୁକମ୍ପା ରାଶି ଦେଇ ଦୋଷୀମାନଙ୍କୁ ଘଣ୍ଟ ଘୋଡେ଼ଇବାରେ ଲାଗିଛନ୍ତି l ଏ ବାବଦରେ ପୋଲିସ ପ୍ରଶାସନ ଏବଂ ସରକାରମାନେ ସମସ୍ତେ ସମ୍ବେଦନହୀନ ।

























