ଆସନ୍ତା ବିଧାନସଭା ଅଧିବେଶନରେ ବିଗତ ୨୪ ବର୍ଷ ଶାସନରେ କରିଥିବା କାମର ହିସାବ ଦିଅନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ଗତ ନିର୍ବାଚନରେ ବିଜେଡି ସୋସିଆଲ ମିଡିଆରେ ୮୩ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କ ମତକୁ ଅସମ୍ମାନ କରିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

0
51

By Our Correspondent

BERHAMPUR/BHUBANESWAR:  ଗଣତନ୍ତ୍ରରେ ଜୟ ପରାଜୟ ଏବଂ ସିଟ୍ ସଂଖ୍ୟା ବୃଦ୍ଧି ହ୍ରାସର ତାରତମ୍ୟ ଲାଗି ରହିଥାଏ । ବିଜୟରେ ଉଲ୍ଲସିତ କି ପରାଜୟରେ ହତୋତ୍ସାହିତ ହେବା କଥା ନୁହେଁ । ଗଣତନ୍ତ୍ରରେ ଜନମତକୁ ସ୍ୱୀକାର କରିବା ଦରକାର ବୋଲି ଗୁରୁବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ବିଧାନସଭା ଅଧିବେଶନରେ ବିଗତ ୨୪ ବର୍ଷ ଶାସନରେ ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ମହିଳା ଓ ଚାଷୀମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କରିଥିବା କାମର ହିସାବ ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନରେ ହାର ଜିତ ଅଛି । କଂଗ୍ରେସ ଦଳ ଦେଶର ଲୋକମାନଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖାନ ହୋଇଛି । ବିଜେପି ରାଜ୍ୟରେ ପରାଜୟର ସାମ୍ନା କରି ଜନଆଶୀର୍ବାଦ ପାଇଛି । କିନ୍ତୁ ଆଜି ନିଜର ପ୍ରତିଷ୍ଠା ଦିବସ ପାଳୁଥିବା ବିଜେଡି ଓଡ଼ିଶାର ଜନମତକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନରେ ହାରିନାହାନ୍ତି ବରଂ ଛଳନା ମାଧ୍ୟମରେ ହରାଇ ଦିଆଯାଇଥିବାର ଦମ୍ଭୋକ୍ତି ବାଢୁଛନ୍ତି, ଯାହା ଦୁଃଖର ବିଷୟ । ବିଜେଡି କର୍ମୀଙ୍କୁ ହାରିବା ହଜମ ହେଉନାହିଁ । ସେମାନେ ଭାବୁଥିଲେ ଓଡ଼ିଶା ଆମ ଜାଗିର । ତେବେ କଂଗ୍ରେସ ବିଜେଡିର ବି ଟିମ ଭାବେ କାମ କରୁଥିବା ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬ ଅଗଷ୍ଟ ୨୦୨୪ରେ ବିଜୁ ଜନତା ଦଳ ଓଡ଼ିଶାର ନିର୍ବାଚନ କମିଶନରଙ୍କ ପାଖରେ ଏକ ହିସାବ ଦେଇଛି, ଯେଉଁଥିରେ ଉଲ୍ଲେଖ ଅଛି ଗତ ସାଧାରଣ ନିର୍ବାଚନରେ ବିଜେଡି ସାମାଜିକ ଗଣମାଧ୍ୟମରେ ପ୍ରଚାର ବାବଦକୁ ୮୩ କୋଟି ୩ ଲକ୍ଷ ୪ ହଜାର ୧୨ ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଏହା ଉପରେ ଉତ୍ତର ନ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଏପରି କହି ଓଡ଼ିଆ ଲୋକଙ୍କ ମତକୁ ସେ ଅସମ୍ମାନ କରିଛନ୍ତି । ଓଡ଼ିଆ ଲୋକଙ୍କୁ ପ୍ରତାରଣା କରିଥିବା କାରଣରୁ ଲୋକମାନେ ତାଙ୍କ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପି ସରକାର ଆସିବା ପରେ କଣ କରିଛି ବୋଲି ହିସାବ ମାଗୁଛନ୍ତି । ମୁଁ ହିସାବ ଦେଇ କହୁଛି ଯେ ରାଜ୍ୟରେ ବିଜେପି ସରକାର ହେବା ପରେ ଗତ ୬ ମାସରେ ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ହିସାବରେ ମୋଟେ ୪ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାରେ ଦିଆଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ । ଏହି ପରିମାଣ ସଂଖ୍ୟା ୧୦ ହଜାର କୋଟି ଟଙ୍କା ହୋଇଯିବ ।

ସେହିପରି କେନ୍ଦ୍ର ସରକାରଙ୍କ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିସାରିଛନ୍ତି, ଯାହା ବାବଦକୁ ସରକାର ଏମଏସପି ମୂଲ୍ୟରେ ୬୨୦ କୋଟି ଟଙ୍କା ଚାଷୀଭାଇମାନଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ଅଧିକ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି । ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ଯେଉଁମାନେ ପ୍ରତିଶ୍ରୁତି ଦେଇଥିଲେ, ସେମାନଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା ବୃଦ୍ଧି କଷ୍ଟ ଦେଇଛି ।

୨୪ ବର୍ଷ ନବୀନ ବାବୁ କ୍ଷମତାରେ ରହିଲେ । ସେ ମହିଳା ସଶକ୍ତିକରଣର ମିଛ ଡିଣ୍ଡିମ ପିଟୁଥିଲେ । ତେବେ ପୂର୍ବ ସରକାରରେ ଓଡ଼ିଶାର ଏସଏଚଜି ମହିଳାଙ୍କୁ ୨୦୨୩ – ୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ଗୁଡିକରୁ ମୋଟ ୧୬ ହଜାର ୬୮୬ କୋଟି ଟଙ୍କା ଋଣ ଦିଆଯାଇଛି । ଏହି ମୋଟ ଟଙ୍କା ଉପରେ ସୁଧ ବାବଦକୁ ୬୭୨ କୋଟି ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାର ମିଶି ପରିଶୋଧ କରିଛନ୍ତି । ଏହି ମୋଟ ସୁଧ ଟଙ୍କାରୁ ମୋଦୀ ସରକାର ୩୮୦.୯୫ କୋଟି ଟଙ୍କା ଦେଇଥିବା ବେଳେ ନବୀନ ସରକାର ଦେଇଛନ୍ତି ୨୯୧ କୋଟି ଟଙ୍କା । ମୋଦୀ ସରକାରଙ୍କ ତୁଳନାରେ କମ ସୁଧ ଟଙ୍କା ଛାଡ କରି ନବୀନ ବାବୁ ନଖ କାଟି ଶହୀଦ ହେବାର ଅଭିନୟ କରୁଛନ୍ତି । ତାଙ୍କ ମିଛୁଆ ରାଧୁଆ କାହାଣୀ ଧରା ପଡିଯାଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ପୋଲସରା ନିର୍ବାଚନମଣ୍ଡଳୀର ବିଜେଡି ଓ କଂଗ୍ରେସ ପାର୍ଟିର ଜନପ୍ରତିନିଧି, କର୍ମୀ ଏବଂ ଶତାଧିକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରି ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଲୋକକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶିଥିବାରୁ ଧନ୍ୟବାଦ । ସମସ୍ତଙ୍କ ଉପସ୍ଥିତି ଦଳର ସଂଗଠନକୁ ଅଧିକ ମଜଭୂତ୍ କରିବ ବୋଲି ସେ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here