ଅନୁଗୋଳ ଜିଲ୍ଲା ଚନ୍ଦ୍ରବିଲ ଗ୍ରାମର ଶହୀଦ ବିକା ନାୟକ ଙ୍କ ଜନ୍ମମାଟିରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ, ଶହୀଦ ନାଏକଙ୍କ ଘରୁ ‘ଅମୃତ କଳସ’ ରେ ପବିତ୍ର ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
298
ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ଅନୁଗୋଳ ଜିଲ୍ଲା ଚନ୍ଦ୍ରବିଲ ଅଞ୍ଚଳର ବିକା ନାୟକଙ୍କ ଭଳି ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଦେଶ ଆଜି ସ୍ୱାଭିମାନୀ ଓ ସୁରକ୍ଷିତ ଅଛି ବୋଲି ତାଙ୍କ ଜନ୍ମମାଟିରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Our Correspondent

ANGUL/TALCHER/BHUBANESWAR:  ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ଅନୁଗୋଳ ଜିଲ୍ଲା ଚନ୍ଦ୍ରବିଲ ଅଞ୍ଚଳର ବିକା ନାୟକଙ୍କ ଭଳି ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଦେଶ ଆଜି ସ୍ୱାଭିମାନୀ ଓ ସୁରକ୍ଷିତ ଅଛି ବୋଲି ତାଙ୍କ ଜନ୍ମମାଟିରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ବଡତ୍ରିବିଡା ସ୍ଥିତ ହାଇସ୍କୁଲ ପରିସରରେ ଶହୀଦ୍ ବିକା ନାଏକଙ୍କ ପୁଣ୍ୟ ‘ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ଜନ୍ମମାଟି ଚନ୍ଦ୍ରବିଲ ଗ୍ରାମକୁ ଯାଇ ଶହୀଦ ନାଏକଙ୍କ ଘରୁ ‘ଅମୃତ କଳସ’ ରେ ପବିତ୍ର ମାଟି ସଂଗ୍ରହ କରିଥିଲେ । ପରେ ସେଠାରୁ ଚାଲି ଚାଲି ଗାଁର ଘର ଘର ବୁଲି ମଧ୍ୟ  ମଧ୍ୟ ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଆୟୋଜିତ ଏକ ସଭାରେ ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିବା ସହ ସମବେତ ନାଗରିକଙ୍କ ସହ  ‘ପଞ୍ଚ ପ୍ରଣ’ର ଶପଥ ନେବା ସହ ମୋ ମାଟି ମୋ ଦେଶ ଅଭିଯାନର ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଚନ୍ଦ୍ରବିଲ ଠାରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ନେଇଥିବା ଶପଥ ଗୁଡିକ ହେଉଛି  ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ ।

 ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’ । ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ । ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହୀଦ ବିକା ନାୟକଙ୍କ ପବିତ୍ର ଗ୍ରାମ ମୋ ପାଇଁ ତୀର୍ଥସ୍ଥଳୀ । ତାଙ୍କ ଜନ୍ମଭୂମି ଚନ୍ଦ୍ରବିଲ ଠାରେ ପ୍ରଧାନମନ୍ତ୍ରୀ ଦେଇଥିବା ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହୋଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏହି ବଳିଦାନୀଙ୍କ ଜନ୍ମଭୂମିକୁ ଆସିବା ଓ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିବା ମୋ ପାଇଁ ସୌଭାଗ୍ୟ ।  ୧୯୩୮ ସେପ୍ଟେମ୍ବର ୨୧ ତାରିଖରେ ଏହି ଅଞ୍ଚଳ ସେହି ସୁପୁତ୍ରକୁ ଜନ୍ମ ଦେଇ ଇତିହାସ ପୃଷ୍ଠାରେ ନିଜ ନାଁକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଇଥିଲା । ସେ ସମାଜର ନିରାଶ୍ରୟ, ନିଷ୍ପେଷିତ ଲୋକଙ୍କ ଉନ୍ନତି ଲାଗି ସର୍ବଦା ଚେଷ୍ଟା କରିଥିଲେ । 

ଯେତେବେଳେ ରାଜା ଓ ବ୍ରିଟିଶ ମାନଙ୍କ ଅତ୍ୟାଚାର ବିରୋଧରେ ଜନବିଦ୍ରୋହ ହୋଇଥିଲା । ସେହି ସମୟରେ ବ୍ରିଟିଶ ଆଦେଶକୁ ଅମାନ୍ୟ କରି ସେ ଗୁଳି ମାଡରେ ଶହୀଦ ହୋଇଥିଲେ । ସେହି ଶହୀଦଙ୍କୁ ସ୍ମରଣ କରିବା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ‘ମୋ ମାଟି, ମୋ ଦେଶ’ ଅଭିଯାନରେ ସାରା ଦେଶର ବୀର ସଂଗ୍ରାମୀଙ୍କ ମାଟିକୁ ସଂଗ୍ରହ କରିବାକୁ ସଂକଳ୍ପ ନେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଶହୀଦ ବିକା ନାଏକଙ୍କ ଜନ୍ମଭୂମିର ମାଟି କର୍ତ୍ତବ୍ୟ ପଥ ଦିଲ୍ଲୀକୁ ଯିବ । ଅମୃତ ବାଟିକା ସୃଷ୍ଟି ହେବ ।  ଏହି ଅଞ୍ଚଳର ସୁପୁତ୍ର ବଞ୍ଚିତ ବର୍ଗରୁ ଆସୁଥିବା ଶହୀଦ ବିକା ନାଏକଙ୍କ ବଳିଦାନକୁ ଏହି ଜାତି ସର୍ବଦା ମନେରଖିବ । ଶହୀଦ ବିକା ନାଏକଙ୍କ ବଳିଦାନ ବିଷୟରେ ଦିଲ୍ଲୀର ଏକ ମ୍ୟୁଜିୟମରେ ସ୍ଥାନ ପାଇବା ଖୁସିର ବିଷୟ । ସେହିପରି ଗ୍ରାମର ଜଣେ ବ୍ୟକ୍ତିବିଶେଷ ତାଙ୍କର ଏକ ସ୍ମାରକୀ ତିଆରି କରିବା ପାଇଁ ଜମି ମଧ୍ୟ ଦେଇଛନ୍ତି । ଏହି ଚନ୍ଦ୍ରବିଲକୁ ଏକ ଦେଶର ତୀର୍ଥସ୍ଥାନ କରାଇବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଉଲ୍ଲେଖନୀୟ ଯେ ଏହି ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ କଣିହାଁ ସାନତ୍ରିବିଡା ଠାରେ ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here